କଡା ସୁରକ୍ଷା ବଳୟ ମଧ୍ୟରେ ସମ୍ପନ୍ନ ହେଲା ଅଳକାନନ୍ଦା କୋଇଲା ଖଣିର ଜନଶୁଣାଣି

0
IMG-20260819-WA0102

ଅନୁଗୋଳ

ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ କଙ୍କୁରପାଳ ଗ୍ରାମ ନିକଟସ୍ଥ ଖୋଲା ପଡିଆରେ ବୁଧବାର ସକାଳ ୧୦ଟାରେ ପ୍ରସ୍ତାବିତ ମେସର୍ସ ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡର ଅଳକାନ୍ଦା କୋଇଲା ଖଣି ପ୍ରକଳ୍ପ ପାଇଁ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଅନୁଗୋଳ ଆଞ୍ଚଳିକ କାର୍ଯ୍ୟାଳୟ ସୌଜନ୍ୟରେ ଆୟୋଜିତ ଏହି ଶୁଣାଣିରେ ପ୍ରାୟ ୩ ହଜାର ଲୋକ ଯୋଗଦେଇଥିବା ବେଳେ ୩୪ ଜଣରୁ ଅଧିକ ବ୍ୟକ୍ତି ଖଣି ପ୍ରକଳ୍ପ ଉପରେ ନିଜର ମତାମତ ରଖିଥିଲେ।
ସୂଚନା ଯେ ଏହି ପ୍ରସ୍ତାବିତ କୋଇଲା ଖଣି ପ୍ରକଳ୍ପର ମୋଟ ଅଞ୍ଚଳ ୧୧୦୨ ହେକ୍ଟର ରହିଛି। ବାର୍ଷିକ ୧୦ ମିଲିୟନ ଟନ୍ ଅର୍ଥାତ ୧୦ ଏମିଟିପିଏ କ୍ଷମତାରେ କୋଇଲା ଉତ୍ପାଦନ କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରସ୍ତାବ ରହିଛି। ଶାଳଖମଣ , ଗୋଳାଗାଡିଆ ଜଙ୍ଗଲ, ବଡବେରେଣା, କଙ୍କୁରପାଳ, ଡାହିବର ଓ କଙ୍କୁରପାଳ ସରଂକ୍ଷିତ ଜଙ୍ଗଲ ଆଦି ୬ଟି ଗାଁ ଏହି ଖଣି ଦ୍ୱାରା ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହେବେ। ଜନଶୁଣାଣି ସ୍ଥଳ କଙ୍କୁରପାଳ ଗାଁ ଖତା ନମ୍ବର ୬୪ ସରକାରୀ ଜମିରେ ପ୍ଲଟ ନମ୍ବର ୧୨୧ ରୁ ୧୮୯ ପର୍ଯ୍ୟନ୍ତ ୧.୬୬୯୫ ଏକର ଅଞ୍ଚଳରେ ନିର୍ଦ୍ଧାରିତ ହୋଇଥିଲା।ଆଞ୍ଚଳିକ ଅଧିକାରୀ ଇଂ ରମେଶ କୁମାର ଏକ୍କାଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଉଦୟ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପକୁ ସମର୍ଥନ ଜଣାଇଥିଲେ। ସେ କହିଥିଲେ ଯେ ଏହି ଖଣି ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ ହେବା ସହିତ ଦେଶର ଅଭିବୃଦ୍ଧିରେ ସହାୟକ ହେବ। ତେବେ ସେ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଉଚିତ କ୍ଷତିପୂରଣ ସହିତ ବେକାର ଯୁବକ ଯୁବତୀଙ୍କୁ ପ୍ରଥମେ ନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି କରିଥିଲେ।ସଭାର ଆରମ୍ଭରେ ପ୍ରକଳ୍ପର ମୁଖ୍ୟ ମହାପ୍ରବନ୍ଧକ ଲଳିତ ନାରାୟଣ ରାଉତ ପ୍ରକଳ୍ପ ସମ୍ପର୍କିତ ବିସ୍ତୃତ ତଥ୍ୟ ଏବଂ ପରିବେଶ ସୁରକ୍ଷା ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡିକ ବିଷୟରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ସେ କହିଥିଲେ ଯେ ଖଣି ଖନନ ସମୟରେ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯିବ। ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ରାସ୍ତା ଭଳି ମୌଳିକ ସୁବିଧା ପାଇଁ କମ୍ପାନୀ ପକ୍ଷରୁ ପ୍ରାଧାନ୍ୟ ଦିଆଯିବ ।
ସଭାର ସର୍ବ ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ଦେବ୍ରତ ମିଶ୍ର ଜନଶୁଣାଣି ସମୟରେ ଗ୍ରାମବାସୀମାନଙ୍କ ଦ୍ୱାରା ଉତଥାପନ ହୋଇଥିବା ବିଭିନ୍ନ ପ୍ରସଙ୍ଗ ଓ ସମସ୍ୟାଗୁଡିକର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ ଯେ କମ୍ପାନୀ ପକ୍ଷରୁ ସମସ୍ତ ନିୟମ ମାନି ପରିବେଶ ସୁରକ୍ଷା କରାଯିବ। ଏହି ଜନଶୁଣାଣିରେ ରୁଙ୍ଗଟା ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜ କିଶୋର ଝା, ମହା ପ୍ରବନ୍ଧକ ରାକେଶ ରୋଶନ, ସହକାରୀ ପ୍ରବନ୍ଧକ କୈଳାସ ଚନ୍ଦ୍ର ସାହୁ ଓ ବରିଷ୍ଠ ପ୍ରବନ୍ଧକ ଚନ୍ଦନ କୁମାର ମଧ୍ୟ ଉପସ୍ଥିତ ଥିଲେ।ଏଥିସହିତ ଛେଣ୍ଡିପଦା ତହସିଲଦାର ମାନସ ରାୟ, ଅତିରିକ୍ତ ଆରକ୍ଷୀ ଅଧିକାରୀ ସଂଜୀବ ପଣ୍ଡା, ଏସ୍ଡ଼ିପିଓ ରମାକାନ୍ତ ମାହାଳିକ,ଛେଣ୍ଡିପଦା ଥାନା ଆଇଆଇସି ଦିଗବିଜୟ ବିଶ୍ୱାଳ, ହାଣ୍ଡପା ଥାନା ଆଇଆଇସି ରାଜେଶ ଶତାପଥିଙ୍କ ସମେତ ପ୍ରାୟ ୩୦ରୁ ଉର୍ଦ୍ଧ ଅଧିକାରୀଙ୍କ ସମେତ ୯ ପ୍ଲାଟୁନ ପୋଲିସ ଫୋର୍ସ ଥିଲେ।ଜନଶୁଣାଣି ସମୟରେ ୩୪ ଜଣରୁ ଉର୍ଦ୍ଧ ବ୍ୟକ୍ତି ପ୍ରସ୍ତାବିତ ଅଳକାନନ୍ଦା କୋଇଲା ଖଣି ପ୍ରକଳ୍ପ ସମ୍ପର୍କରେ ନିଜର ମତାମତ ଉପସ୍ଥାପନ କରିଥିଲେ। ସେଥିରୁ ୩୦ଜଣରୁ ଉର୍ଦ୍ଧ ଏହି ପ୍ରକଳ୍ପକୁ ସମ୍ମତି ପ୍ରଦାନ କରିବା ସହିତ ଯେ ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ନ ମିଳିଛି ସେ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ, ଜମିର ଉଚିତ ମୂଲ୍ୟାଙ୍କନ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ବିସ୍ଥାପନ ଓ ଥାଇଥାନ ଆଦି ସମ୍ପର୍କରେ ନିଜର ମତ ରଖିଥିଲେ । କିନ୍ତୁ ଗୋଳାଗାଡ଼ିଆ ଗାଁର ନୂତନ ସୁରଥ, ଆଇନଜୀବି ବିନୟ ଓସେନଙ୍କ ସମେତ କିଛି ଲୋକ ପରିବେଶ ନଷ୍ଟ, ଜଳ ସ୍ତର ହ୍ରାସ ଓ ବିସ୍ଥାପନ ସମସ୍ୟା ଉପରେ ନିଜର ଚିନ୍ତା ପ୍ରକଟ କରିଥିଲେ। ସ୍ଥାନୀୟ ଯୁବକମାନେ ନିଯୁକ୍ତି ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦାବି କରିଥିଲେ।ପ୍ରସ୍ତାବିତ ପ୍ରକଳ୍ପ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୧୦୩୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆକଳନ କରାଯାଇଛି। ଏହା ଦ୍ୱାରା ଏହି ଅଞ୍ଚଳର ଆର୍ଥିକ ସ୍ଥିତିରେ ଉଲ୍ଲେଖନୀୟ ପରିବର୍ତନ ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଜନଶୁଣାଣିରେ ଉପସ୍ଥାପିତ ମତାମତ, ପ୍ରସ୍ତାବ ଓ ଅଭିଯୋଗୁଡିକର ସିସିଟିଭି ଓ ଭିଡିଓ ରେକର୍ଡିଙ୍ଗ କରାଯାଇଛି। ସବୁ ମତା ମତ ଓ ଦରଖାସ୍ତ କୁ ପରିବେଶ ମଞ୍ଜୁରୀ ପ୍ରକ୍ରିୟାରେ ବିଚାରକୁ ନିଆଯିବ। ଏହି ଜନ ଶୁଣାଣି ଶାନ୍ତି ଶୃଙ୍ଖଳର ସହ ସଫଳ ହୋଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଉଦୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ତେଣୁ ଏହି ଜନଶୁଣାଣିର ରିପୋର୍ଟ ଉପରେ ହିଁ ଅଳକାନ୍ଦା କୋଇଲା ଖଣିର ଭବିଷ୍ୟତ ନିର୍ଭର କରୁଛି।

Please follow and like us:

About The Author

Leave a Reply

Your email address will not be published. Required fields are marked *