୩ଘଣ୍ଟା ପରିଶ୍ରମ ପରେ କୂଅରୁ ଉଦ୍ଧାର ହେଲା ୪/୫ବର୍ଷର ଦନ୍ତା ହାତୀ l

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଧାଙ୍ଗୁରୁମୁଣ୍ଡା ଗାଁକୁ ପ୍ରାୟ ରାତି ୯ଟା ବେଳେ ଏକ ୧୯ ଟିକିଆ ହାତୀ ପଲ ଆସିଥିବା ବେଳେ ଏକ ଛୋଟ ଦନ୍ତା ହାତୀ କୂଅରେ ଗଳି ପଡିଥିଲା । ବନବିଭାଗ ତୁରନ୍ତ ଖବର ପାଇ ଘଟଣା ସ୍ଥଳରେ ପହଁଚି ଦୁଇ ଘଣ୍ଟାର ପରିଶ୍ରମ ପରେ ହାତୀ କୁ ଉଦ୍ଧାର କରିଥିଲେ l ସୂଚନା ଯେ ଏକ ୧୯ଟିକିଆ ହାତୀ ପଲ ଗତ କାଲି ସନ୍ଧ୍ୟାରେ ଦେବଗଡ଼ ଅଞ୍ଚଳରୁ ଛେଣ୍ଡିପଦା ବନାଞ୍ଚଳର ପାଟକମୁଣ୍ଡା ଅଞ୍ଚଳକୁ ଖାଦ୍ୟ ଅନ୍ୱେଷଣରେ ଆସିଥିଲେ । ହାତୀ ପଲ ଧାଙ୍ଗୁରୁମୁଣ୍ଡା ଗାଁ ମଧ୍ୟରେ ପଶି ବିଲ ଆଡ଼କୁ ଯାଉଥିବା ବେଳେ ହଠାତ ଗୋଟିଏ ଦନ୍ତା ହାତୀ ଖୋଲା ରିଙ୍ଗ କୂଅ ମଧ୍ୟରେ ପଡି ଯାଇଥିଲା । କୂଅ ଭିତରେ ହାତିଟି ପଡ଼ିଯିବ ପରେ ହାତୀ ପଲ ସେଠାରେ ଜଗି ରହି ଭୀଷଣ ଗର୍ଜନ କରିଥିଲେ l ହାତୀ ଗର୍ଜନ ଶୁଣି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ lଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଂଚି ଦୁଇଟି ଜେସିବି ମେସିନ ସହାୟତାରେ ମାଟି ଖୋଲି କୂଅରୁ ହାତୀ କୁ ଉଦ୍ଧାର କରୁଥିବା ବେଳେ ଅନ୍ୟ ହାତୀ ପଲ ଗର୍ଜନ କରି କୂଅ ନିକଟକୁ ପଳାଇ ଆସୁଥିବାରୁ ଉଦ୍ଧାର କରିବାରେ ବ୍ୟାଘାତ ସୃଷ୍ଟି ହେଉଥିଲା । ଖବର ପାଇ ଘଟଣାସ୍ଥଳରେ ଅନୁଗୋଳ ଡ଼ିଏଫଓ ଓ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଉପସ୍ଥିତ ରହି ଯେପରି ହାତୀର କୌଣସି କ୍ଷତି ହେବ ନାହିଁ ସେ ନେଇ ସତର୍କତାର ସହିତ ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ l ହାତୀଟି କୂଅରେ ପଡି କ୍ଷତାକ୍ତ ହୋଇଥିବା ବେଳେ ସେ ଏବେ ହାତୀ ପଲଙ୍କ ମଧ୍ୟରେ ସୁରକ୍ଷିତ ଭାବେ ରହିଛି ଏବଂ କୂଅରେ ପଡି ହାତୀର କ୍ଷତ ଗୁଡିକୁ ଡ୍ରୋନ କ୍ୟାମେରା ଦ୍ୱାରା ନଜର ରଖାଯିବ ବୋଲି ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି l କୂଅରେ ପଡ଼ିଥିବା ଛୋଟ ଦନ୍ତା ହାତୀଟିର ବୟସ ପ୍ରାୟ ୪ ରୁ ୫ ବର୍ଷ ହେବ l ତାର ଗତିବିଧି ଉପରେ ବନବିଭାଗ ପକ୍ଷରୁ ନଜର ରଖାଯାଇଛି l ଆଗକୁ କିପରି ଏପରି ଘଟଣା ନଘଟିବ ସେ ନେଇ ଖୋଲା ଯାଗାରେ ଥିବା କୂଅ ଗୁଡିକୁ ବାଡ଼ାବନ୍ଦୀ କରାଯିବା ନେଇ ପଦକ୍ଷେପ ନିଆଯିବ ବୋଲି ଡ଼ିଏଫଓ ନୀତିଶ କୁମାର ସୂଚନା ଦେଇଛନ୍ତି l
