ସଲମାନଙ୍କ ଭଳି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ରୋହିତ ଶେଟ୍ଟୀ, ଘର ଉପରକୁ ଗୁଳିମାଡ଼

0
rohit-shetty-2026-02-01-17-43-08

ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ମୁମ୍ବାଇ ସ୍ଥିତ ଘର ଉପରକୁ ଶନିବାର ବିଳମ୍ବିତ ରାତିରେ ହୋଇଥିବା ଗୁଳିମାଡ଼ ଘଟଣା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ସୋଶାଲ ମିଡିଆ ମାଧ୍ୟମରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏହି ଦାବି କରିଛି।

ଏହି ଘଟଣାରେ ପୁଣେ ପୁଲିସ ୫ ଜଣଙ୍କୁ ଧରିଥିବା ବେଳେ ସେମାନଙ୍କର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ସଂପର୍କ ରହିଛି ବୋଲି ଅଭିଯୋଗ ଥିବା ସ୍ପଷ୍ଟ କରିଛି। ପୁଣେ ପୁଲିସ ଏହି ଅଭିଯୁକ୍ତମାନଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସୋଶାଲ ମିଡିଆ ମାଧ୍ୟମରେ ନିଜକୁ ଦାୟୀ କରିବା ପରେ ଅର୍ଜୁ ବିଷ୍ଣୋଇ ନାମକ ଜଣେ ଗ୍ୟାଙ୍ଗଷ୍ଟର ଏକ ଅଡିଓ ମେସେଜ ଜାରି କରି ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିଲା। ଏହି ଅଡିଓରେ ଅର୍ଜୁ ବିଷ୍ଣୋଇ କହିଛି ଯେ ଏହି ଘଟଣା ପାଇଁ ଶୁଭମ ଲୋନକର, ହରି ବକ୍ସର ଓ ସେ ଦାୟୀ। ସେମାନଙ୍କ ବ୍ୟାପାରରେ ମୁଣ୍ଡ ନଖେଳାଇବା ପାଇଁ ବାରମ୍ବାର ଏହି ଫିଲ୍ମ ନିର୍ମାତାଙ୍କୁ ଚେତାବନୀ ଦିଆଯାଇଥିଲା। ଯାହା ଘଟିଛି, ତାହା କେବଳ ଟ୍ରେଲର ବୋଲି ଏହି ଅଡିଓରେ କୁହାଯାଇଛି।

ଏହା ସହିତ ଏହି ଅଡିଓରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଲୋକଙ୍କୁ ଚେତାବନୀ ଦେଇ କୁହାଯାଇଛି ଯେ ଯଦି ସେମାନଙ୍କର ଏହି ବାର୍ତ୍ତାକୁ କେହି ଏଡ଼ାଇ ଦିଅନ୍ତି, ତା’ହେଲେ ତା’ର ଫଳ ସେମାନେ ଭୋଗିବେ। ଯିଏ ସେମାନଙ୍କ ଶତ୍ରୁମାନଙ୍କୁ ସମର୍ଥନ କରିବ, ତାଙ୍କୁ ଦଳି ଦିଆଯିବ।

ପୁଲିସ୍ କହିଛି ଯେ ଏହି ଅଡିଓର ସତ୍ୟାସତ୍ୟ ସଂପର୍କରେ ଯାଞ୍ଚ  କରାଯାଉଛି। ଏହି ଘଟଣାରେ ଲରେନ୍ସ ବିଷ୍ଣୋଇର ସଂପୃକ୍ତି ନେଇ ମଧ୍ୟ ଯାଞ୍ଚ କରାଯାଉଛି। ଏହା ମଧ୍ୟରେ ରୋହିତ ଶେଟ୍ଟୀଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

Please follow and like us:

About The Author

Leave a Reply

Your email address will not be published. Required fields are marked *