ବିଦ୍ୟାଳୟରେ ଛାତ୍ର ଛତ୍ରୀଙ୍କୁ କମ୍ପାନୀ ବ୍ୟାଗ ବଣ୍ଟନକୁ ଗ୍ରାମବାସୀଙ୍କ ବିରୋଧ
ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଗଡ଼ମଣ୍ଡଳ ଉଚ୍ଚ ବିଦ୍ୟାଳୟରେ ଏକ କୋଇଲା ଖଣି ନେଇଥିବା କମ୍ପାନୀ ପକ୍ଷରୁ ଛାତ୍ର ଛତ୍ରୀଙ୍କୁ ମାଗଣା ସ୍କୁଲ ବ୍ୟାଗ ବଣ୍ଟନକୁ ନେଇ ଗ୍ରାମବାସୀଙ୍କ ବିରୋଧ l ସୂଚନା ଯେ ଛେଣ୍ଡିପଦା ବ୍ଲକ ପାତ୍ରପଡା ଦକ୍ଷିଣ କୋଲ ବ୍ଲକ ନେଇ ଥିବା ଏନଏଲସି କମ୍ପାନୀ ପକ୍ଷରୁ ଗଡ଼ମଣ୍ଡଳ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କୁ ହାତ କରି ବିଦ୍ୟାଳୟରେ ଅଧୟନ କରୁଥିବା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୧୭ ଛାତ୍ରୀଛାତ୍ରଙ୍କୁ ମାଗଣା ସ୍କୁଲ ବ୍ୟାଗ ବଣ୍ଟନ କରିଥିଲେ l ଏନେଇ ଛାତ୍ରଛାତ୍ରୀ ମାନେ ପରିବାର ଲୋକଙ୍କୁ ଜଣାଇବା ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା l ଏନେଇ ଗ୍ରାମ ସଭାପତି ଚକ୍ରଧର ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମର ପୂର୍ବତନ ସରପଞ୍ଚ ରତ୍ନାକର ପ୍ରଧାନ,ସମିତି ସଭ୍ୟ ଦୀପକ ସାହୁ,ଜଗବନ୍ଧୁ ସାହୁ,ମୋହନ ସାହୁଙ୍କ ସମେତ ଶତାଧିକ ଗ୍ରାମବାସୀ ଆସି ବିଦ୍ୟାଳୟ ସମୁଖରେ ହୋ ହାଲ୍ଲା କରିଥିଲେ l ଛାତ୍ରଛାତ୍ରୀଙ୍କୁ କାହା ନିର୍ଦ୍ଦେଶରେ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଥିବା ନେଇ ପ୍ରଶ୍ନ କରିଥିଲେ l ଏନେଇ ଗ୍ରାମବାସୀ ବିଦ୍ୟାଳୟର ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିବା ସହିତ ବିଦ୍ୟାଳୟରେ ଯେପରି ଛାତ୍ରୀ ଛାତ୍ରଙ୍କୁ ବ୍ୟାଗ ବଣ୍ଟନ କରିଥିଲେ ସେହିପରି ଛାତ୍ରୀ ଛାତ୍ରଙ୍କ ଠାରୁ ତୁରନ୍ତ ବ୍ୟାଗ ସଂଗ୍ରହ କରି କମ୍ପାନୀକୁ ଫେରାଇବା ପାଇଁ ତାଗିଦ କରିଥିଲେ l ଯଦି ବ୍ୟାଗ ଗୁଡିକୁ ବିଦ୍ୟାଳୟ ପକ୍ଷରୁ କମ୍ପାନୀକୁ ନ ଫେରାଇଲେ ବିଦ୍ୟାଳୟ ଫାଟକ କୁ ତାଲା ପକାଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି କଡା ଚେତାବନୀ ଦେଇଛନ୍ତି l
