
ଛେଣ୍ଡିପଦା, ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଖମାର ଗ୍ରାମର ବାବା ବାଣେଶ୍ୱର ମନ୍ଦିର ପରିସରରେ ଥିବା ମା’କନକଦୁର୍ଗାଙ୍କର ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଖମାର ଗ୍ରାମର ସଭାପତି ନେତ୍ରାନନ୍ଦ ଗଡନାୟକଙ୍କ ପ୍ରତକ୍ଷ ତତ୍ୱାବଧାନରେ ଆୟୋଜିତ ମହୋତ୍ସବରେ ଉତ୍ସବର ପ୍ରଥମ ଦିବସରେ ଅଙ୍କୁରାରୋପଣ କରାଯିବା ସହିତ ଗ୍ରାମର ମହିଳା ମାନଙ୍କ ଦ୍ୱାରା ଏକ ବିରାଟ ପାଟପଟୁଆରରେ ଗ୍ରାମ ଦେବୀ ମା’ଝାରିବୁଢ଼ୀ ଓ ରାଧାକୃଷ୍ଣଙ୍କର ଆଲମକୁ ସୁସଜ୍ଜିତ ରଥରେ ବସାଇ ଗ୍ରାମର ଅରାଚୁଆରେ ପୁଜାର୍ଚ୍ଚନା କରାଯାଇ ପାଣି ଉଠାଇବା ପରେ ଏହି କଳସ ଶୋଭା ଯାତ୍ରା ଗ୍ରାମ୍ୟ ପରିକ୍ରମା କରିଥିଲା । ଏହାପରେ କଳସ ଗୁଡିକୁ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପରେ ଗର୍ଭାଧାନ, ସୂର୍ଯ୍ୟପୂଜା, ଗୋପୂଜା, ଗୁରୁପୂଜା, ସର୍ବଦେବାଦେବୀ ପୂଜା,ଘଟପୂଜନ ପୂର୍ବକ ଯଜ୍ଞାଗ୍ନି ସ୍ଥାପନ କରାଯାଇଥିଲା । ୨ୟ ଦିବସରେ ଅନ୍ୟାନ୍ୟ ପୂଜାସହ ଚଣ୍ଡୀପାଠ,ଦୁର୍ଗାସହସ୍ରନାମ ପାଠ,ବେଦ ପାଠ ଓ ରୁଦ୍ରାଭିଷେକ ପୂର୍ବକ ବିଗ୍ରହମାନଙ୍କର ମହାସ୍ନାନ,ଶୟନ,ଘୃତଯଜ୍ଞ ସହ ସନ୍ଧ୍ୟାରେ ଅନ୍ୟାନ୍ୟ ପୂଜା ପାଠ ଦେବାଦେବୀ ବିଗ୍ରହ ମାନଙ୍କର ଜୀବନ୍ୟାସ ଓ ପ୍ରାଣପ୍ରତିଷ୍ଠା ପୂର୍ଣ୍ଣାହୁତୀ କାର୍ଯ୍ୟକ୍ରମ କରାଯାଇ ପ୍ରତିଷ୍ଠା ଉତ୍ସବର ଉଦ୍ଯାପନୀ କରାଯାଇଥିଲା । ଉକ୍ତ ଉତ୍ସବରେ ଦୈନନ୍ଦିନ ବହୁ ଭକ୍ତଙ୍କର ସମାଗମ ହୋଇଥିବାବେଳେ ଉଦ୍ଯାପନୀ ଉତ୍ସବରେ ୨୦ହଜାରରୁ ଅଧିକ ଭକ୍ତ ଓ ଜନସାଧାରଣଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଉତ୍ସବରେ ଆଖପାଖ ଅଂଚଳର ପ୍ରାୟ ୫୦ରୁ ଉର୍ଦ୍ଧ ଓଡିଶି ସଂକିର୍ତନ ମଣ୍ଡଳୀ ଓ ମହିଳା ସଙ୍କିର୍ତନ ମଣ୍ଡଳୀ ଯୋଗ ଦେଇଥିଲେ । କଟକର ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଦ୍ୱରା ଭଜନ ସମାରୋହ କରାଯାଇଥିଲା । ଗ୍ରାମବାସୀ,ମନ୍ଦିର ପରିଚାଳନା କମିଟି ଓ ଯୁବ ସଂଗଠନଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ପରିଚାଳନା ହେଉଥିଲା । ସ୍ଥାନୀୟ ପୁଲିସ ପଶାସନ ପକ୍ଷରୁ ଶନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । ଭିଡକୁ ପରିଲକ୍ଷିତ କରି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା କେନ୍ଦ୍ର ଦ୍ୱାରା ବାରମ୍ବାର ଅବଗତ କରାଯାଉଥିଲା ଏବଂ ଦୈନନ୍ଦିନ ଜନସାଧାରଣଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଉତ୍ସବରେ ବିଭିନ୍ନ ଅଂଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ମା’ଙ୍କର ଆଶିର୍ବାଦ ଭିକ୍ଷା କରିଥିଲେ । ପଣ୍ଡିତ ପ୍ରଶନ୍ନ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଯଜ୍ଞକାର୍ଯ୍ୟ ସମ୍ପାଦନ ହୋଇଥିବାବେଳେ ଯଜ୍ଞ କର୍ତା ଭାବେ ବିଭୁତି ଭୁଷଣ ଗଡନାୟକ ସସ୍ତ୍ରୀକ ଉପବେସନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମ ସମ୍ପାଦକ ହେମନ୍ତ ବିଶ୍ୱାଳ,ଉପସଭାପତି ଚୈତନ୍ୟ ବେହେରା,ଗ୍ରାମର ହେଡବେହେରା ସପ୍ନେଶ୍ୱର ମାଝି,ପୁର୍ବତନ ସଭାପତି କୁଳମଣି ଗଡନାୟକ,ମନୋଜ କୁମାର ଆଚାର୍ଯ୍ୟ,ସହଦେବ କୁମାର ବେହେରାଙ୍କ ସମେତ ଗ୍ରାମବାସୀଙ୍କ ଉଦ୍ୟମରେ ସମାପନ ହେଇଥିଲା ।