ସାନ କେରଜାଙ୍ଗ ଗୁଳିକାଣ୍ଡ, ଗୁଳି ବାଜି ନାବାଳକ ଗୁରୁତର

ଗୁଳିବାଜୀ ନାବାଳକ ଗୁରୁତର

ଛେଣ୍ଡିପଦା, ପାରିବାରିକ କଳହ ପରେ ଘରୁ ରାଗି ପଳାଇ ଯାଉଥିବା ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଛି। ଏପରିକି ଏହାକୁ ବିରୋଧ କରିବାରୁ ସମ୍ପୃକ୍ତ ମହିଳାଙ୍କ ନାବାଳକ ପୁଅ (୧୫)ଙ୍କ ଉପରକୁ ଗୁଳି ଚଳାଯାଇଛି। ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ମଙ୍ଗଳବାର ରାତିରେ ଘଟିଥିବା ଏହି ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଗୁରୁତର ନାବାଳକଙ୍କୁ ପ୍ରଥମେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ପାଇ ପୋଲିସ ନଂ. ୪୩/୨୫ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚଳାଇଛି।
ପୋଲିସ କହିଛି, ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଏକ ଦମ୍ପତିଙ୍କ ମଧ୍ୟରେ ମଙ୍ଗଳବାର ସାରେ ଝଗଡ଼ା ହୋଇଥିଲା। ଝଗଡ଼ା ପରେ ମହିଳା ଜଣକ ଘରୁ ରାଗି ପଳାଇ ଯାଉଥିବାବେଳେ ସେହି ଅଞ୍ଚଳର କାଳିଆ ମହାପାତ୍ର, ରିଙ୍କୁ ଦାଶ, କାହ୍ନା ଅମାନ୍ତ ଓ ଶିପୁ ପ୍ରଧାନ ସମ୍ପୃକ୍ତା ମହିଳାଙ୍କୁ ଅସଦାଚରଣ କରିଥିଲେ। ମହିଳା ଜଣକ ବିରୋଧ କରିବା ସହ ତାଙ୍କ ନାବାଳକ ପୁଅଙ୍କୁ ଘଟଣାସ୍ଥଳକୁ ଡାକିଥିଲେ। ନାବାଳକ ସେଠାରେ ପହଞ୍ଚିବା ପରେ ଉପୟ ପକ୍ଷ ମଧ୍ୟରେ କିଛି ସମୟ ପାଟିତୁଣ୍ଡ ହୋଇଥିଲା। ଏହାପରେ ଅଭିଯୁକ୍ତମାନେ ସେଠାରୁ ପଳାଇ ଯାଇଥିଲେ। ହେଲେ କିଛି ସମୟ ପରେ ସେମାନେ ଏକ କାର୍‌ରେ ଆସି ମହିଳା ଓ ତାଙ୍କ ପୁଅଙ୍କ ସହ ଗଣ୍ଡଗୋଳ କରିଥିଲେ। ଜଣେ ଅଭିଯୁକ୍ତ ବନ୍ଧୁକ ବାହାର କରି ୩ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିରୁ ଗୋଟିଏ ଗୁଳି ନାବାଳକଙ୍କ ଆଣ୍ଠୁ ତଳକୁ ବାଜିଥିଲା। ଏହାପରେ ୪ଜଣ ଅଭିଯୁକ୍ତ କାର୍‌ରେ ଫେରାର ହୋଇଯାଇଥିଲେ। ଗୁରୁତର ନାବାଳକଙ୍କୁ ପରିବାର ଲୋକେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ରେଫର କରାଯାଇଥିଲା। ଏ ନେଇ ନାବାଳକଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଅନୁଗୋଳ ଏସ୍‌ଡିପିଓ ରମାକାନ୍ତ ମାହାଳିକ ଓ ଥାନା ଅଧିକାରୀ ବିବେକ ମହାନ୍ତ ଅନ୍ୟ କର୍ମଚାରୀଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଘଟଣାସ୍ଥଳରେ ପଡ଼ିଥିବା ଖୋକାକୁ ପୋଲିସ ଜବତ କରିବା ସହ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଥାନା ଅଧିକାରୀ ବିବେକ ମହାନ୍ତ ପ୍ରକାଶ କରିଛନ୍ତି।
ଫଟୋ- ଗୁଳିମାଡ଼ରେ ଗୁରୁତର ହୋଇଥିବା ନାବାଳକ।

Leave a Reply

Your email address will not be published. Required fields are marked *